ବିଜେପିରେ ମିଶ୍ରଣ ପର୍ବ, ୨୦ରୁ ଉର୍ଦ୍ଧ୍ୱ ବିଜେଡି ଯୁବକ ପଦ୍ମ ଧରିଲେ

ଝାରସୁଗୁଡ଼ା, ଝାରସୁଗୁଡ଼ା ରାଜନୀତିରେ ପୁଣି ଏକ ବଡ଼ ଦଳବଦଳ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ସାଲେଟିକ୍ରା ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ବିଜେଡି ଯୁବ କର୍ମୀ ଓ ନେତା ରବିବାର ଆନୁଷ୍ଠାନିକ ଭାବେ ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ଝାରସୁଗୁଡ଼ା ବିଜେପି ବିଟିଏମ୍ (BTM) କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତି ଓ ନେତୃତ୍ୱରେ ଏହି ଯୁବକମାନେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଗ୍ରାମୀଣ ମଣ୍ଡଳ ସଭାପତି ହେମରଞ୍ଜନ ସିଂ, କ୍ରିଷ୍ଣା ମୁରାରି, ଚମ୍ପୁ ରକ୍ସା ଏବଂ ରୋହିତ୍ ପଟେଲ ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ନୂତନ କର୍ମୀମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ। ବିଜେପିରେ ସାମିଲ ହୋଇଥିବା ପ୍ରମୁଖ ଯୁବକମାନଙ୍କ ମଧ୍ୟରେ ଗୋଲ୍ଡେନ ପଟେଲ୍, ଆକାଶ ପଟେଲ୍, ଦିନେଶ ପଟେଲ, ଅମିତ୍ ପଟେଲ, ନର୍ମଲ, ଓମ୍ ଧୁରୁଆ, ମାଖୁନୁ, ଘନଶ୍ୟାମ, ଅଜିତ୍ ପଟେଲ, ସଞ୍ଜୟ ରୋହିଦାସ, ପିୟୁଷ ପଟେଲ ଏବଂ ରୋହିତ୍ କୁମାର ନାଏକ ପ୍ରମୁଖ ସାମିଲ ଅଛନ୍ତି।

ବିଜେପିରେ ଯୋଗଦେବା ପରେ ଯୁବ ଗୋଷ୍ଠୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଉନ୍ନତିମୂଳକ ଯୋଜନା, ଦୂରଦୃଷ୍ଟି ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦୃଢ଼ ନେତୃତ୍ୱ, ସରଳତା ଓ ଅଞ୍ଚଳ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଭାବନାରେ ଅନୁପ୍ରାଣିତ ହୋଇ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ନୂତନ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଏହି ଯୁବକମାନଙ୍କ ଯୋଗଦାନ ଫଳରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରେ ବିଜେପି ସଂଗଠନ ଆହୁରି ଅଧିକ ଶକ୍ତିଶାଳୀ ଓ ମଜଭୁତ ହୋଇପାରିଛି।

Leave a Reply

Your email address will not be published. Required fields are marked *